୧୯୦୯ ମସିହା ଜାନୁଆରୀ ୧୧ ତାରିଖ ଦିନ ସୁଭାଷ ବୋଷ ନାମ ଲେଖାଇଥିଲେ ରେଭେନ୍ସା କଲିଜିଏଟ ସ୍କୁଲରେ। ସହିଠରେ ଆରଂଭ ହୋଇଥିଲା ତାଙ୍କ ବ୍ୟକ୍ତିତ୍ଵ ବିକାଶର ପ୍ରକ୍ରିୟା । କଲିଜିଏଟ୍ ସ୍କୁଲର ଦୁଇଜଣ ବଳିଷ୍ଠ ବ୍ୟକ୍ତିତ୍ବ, ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ବେଣୀମାଧବ ଦାସ(୧୯୦୬-୧୯୧୧) ଏବଂ ତାଙ୍କ ପରେ ପରେ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ମହାନ୍ତି( ୧୯୧୧-୧୯୧୪) ତାଙ୍କୁ ବହୁ ପରିମାଣରେ ପ୍ରଭାବିତ କରିଥିଲେ। ଉଭୟ ସୁଭାଷଙ୍କୁ ପ୍ରଚଣ୍ଡ ଭାବେ ଭଲ ପାଉଥିଲେ। ଧିରେ ଧିରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରୁ ମୁକ୍ତ ହୋଇ ସୁଭାଷ ଭାରତୀୟ ସଂସ୍କୃତି ଆଡ଼କୁ ଢଳିଥିଲେ।
![](https://i0.wp.com/cuttackheritage.com/wp-content/uploads/2021/01/WhatsApp-Image-2021-01-23-at-7.32.48-PM.jpeg?fit=525%2C376&ssl=1)
ତାଙ୍କର ପାଠପଢ଼ା ସହିତ କୌଣସି ସାଲିସ କରିନଥିଲେ ପିତା ଜାନକୀନାଥ ବୋଷ। ତାଙ୍କ ବାସଭବନରୁ ସ୍କୁଲର ଦୂରତା ଥିଲା ମାତ୍ର ୩ କିଲୋମିଟର, ହେଲେ ସେ ସୁଭାଷଙ୍କୁ ହଷ୍ଟେଲରେ ଛାଡିଥିଲେ। ସୁଭାଷ ବୋଷ ହଷ୍ଟେଲର ଏଗାର (୧୧) ନମ୍ବର କୋଠରୀରେ ରହୁଥିଲେ। ସ୍କୁଲରେ ପଢୁଥିବା ସମୟରେ ସୁଭାଷ ଜଣେ ସନ୍ନ୍ୟାସୀ ଶ୍ରୀପଦ ରାମଦାସ ବାବାଜୀ ମହାରାଜଙ୍କ ସଂସ୍ପର୍ଶରେ ଆସିଥିଲେ। କାଠଯୋଡି ନଦୀ କୁଳରେ ପୁରୀ ଘାଟ ନିକଟରେ ରାସବିହାରୀ ମଠରେ ସେ ସାଧୁଜଣକ ରହୁଥିଲେ। ସୁଭାଷ ତାଙ୍କ ନିକଟରୁ ଧ୍ୟାନ ଯୋଗ ବ୍ରହ୍ମଚର୍ଯ୍ୟ ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରିଥିଲେ। ରାମଦାସ ବାବାଜୀ ମହାରାଜ ପରବର୍ତ୍ତୀ ସମୟରେ ବଙ୍ଗାଳି ସାହିରେ ନିତାଇ ଗୌରାଙ୍ଗ ମଠ ସ୍ଥାପନ କରିଥିଲେ। ସେଠାକୁ ମଧ୍ୟ ସୁଭାଷ ଯାଉଥିଲେ। ତାଙ୍କର ଆଧ୍ୟାତ୍ମିକ ଚେତନା ପ୍ରତି ଆଗ୍ରହ ଏଥିରୁ ସ୍ପଷ୍ଟ ଜାଣିହୁଏ।
![](https://i0.wp.com/cuttackheritage.com/wp-content/uploads/2021/01/WhatsApp-Image-2021-01-23-at-7.32.49-PM.jpeg?fit=525%2C350&ssl=1)
୧୯୧୩ ମସିହାରେ ସୁଭାଷ ବୋଷ ମ୍ୟାଟ୍ରିକୁଲେସନ ପରିକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସାରା ବେଙ୍ଗଲ ବିହାର ଓ ଓଡ଼ିଶାରେ ତାଙ୍କ ସ୍ଥାନ ଥିଲା ଦ୍ଵିତୀୟ। ରାମକୃଷ୍ଣ ଓ ବିବେକାନନ୍ଦଙ୍କ ରଚନାବଳୀକୁ ଅଧ୍ୟୟନ କରି ସେ ଜନସେବାର ମହତ୍ତ୍ଵ ଭଲ ଭାବରେ ବୁଝି ସାରିଥିଲେ। ୧୯୧୪ ମସିହାରେ ଯାଜପୁର ଅଞ୍ଚଳରେ ମାହାମାରୀ ଦେଖା ଦେଇଥିଲା। ସେ ସବୁ ବାରଣକୁ ଏଡାଇ ଦେଇ ସେଠାରେ ପହଞ୍ଚି ଝାଡ଼ାବାନ୍ତି ରୋଗୀଙ୍କ ସେବା କରିଥିଲେ।
ସୁବାଷ ବୋଷଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ପ୍ରଥମ ୧୮ ବର୍ଷ ଏବଂ କିଛି ସମୟର ବ୍ୟବଧାନ ପରେ ପ୍ରେସିଡେନ୍ସି କଲେଜରୁ ଇଂରେଜ ପ୍ରଫେସରଙ୍କ ବିରୁଦ୍ଧରେ ତାଙ୍କ ଭାରତବିରୋଧୀ ମନ୍ତବ୍ୟ ପାଇଁ ଆନ୍ଦୋଳନ କରି ବହିଷ୍କୃତ ହୋଇ ପୁଣି କଟକ ଫେରି ଆସିଥଲେ। ପ୍ରୟ ଦୁଇ ବର୍ଷ କାଳ ସେ କଟକରେ କାଟିଥିଲେ।
କଟକ ନଗରର ପାଣି ପବନରେ ସୁଭାଷ ବୋଷଙ୍କ ବ୍ୟକ୍ତିତ୍ବର ମହକ ଭରି ରହିଛି। ମୋ ମତରେ ସୁଭାଷ ବୋଷ ପ୍ରଥମେ କଟକର। ତା’ପରେ ବଙ୍ଗଳାର, ଭାରତର, ସାରା ବିଶ୍ୱର। ହେଲେ ମନ ଦୁଃଖ ହୋଇଯାଏ ଭାବିଲା ବେଳକୁ ଯେ ଆମେ ଆଜି ପର୍ଯ୍ୟନ୍ତ ତାଙ୍କୁ ତାଙ୍କର ପ୍ରାପ୍ୟ ବା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇ ପାରିନାହୁଁ। ମା, ମାଟି, ମଣିଷକୁ ଭଲ ପାଇବା ଆମେ ଆହୁରି ଶିଖି ପାରିନାହୁଁ।
![](https://i2.wp.com/cuttackheritage.com/wp-content/uploads/2021/01/WhatsApp-Image-2021-01-23-at-7.31.38-PM.jpeg?fit=525%2C350&ssl=1)
![](https://i1.wp.com/cuttackheritage.com/wp-content/uploads/2021/01/WhatsApp-Image-2021-01-23-at-7.32.02-PM.jpeg?fit=525%2C350&ssl=1)
![](https://i2.wp.com/cuttackheritage.com/wp-content/uploads/2021/01/WhatsApp-Image-2021-01-23-at-7.15.27-PM.jpeg?fit=525%2C967&ssl=1)
![](https://i0.wp.com/cuttackheritage.com/wp-content/uploads/2021/01/WhatsApp-Image-2021-01-23-at-7.32.44-PM.jpeg?fit=525%2C349&ssl=1)