କଟକର ସୁଭାଷ

ମୋର ସଂପୁର୍ଣ୍ଣ ସ୍କୁଲ ଶିକ୍ଷା ରେଭେନ୍ସା କଲିଜିଏଟ୍ ସ୍କୁଲରେ। ଚତୁର୍ଥରୁ ଏକାଦଶ ପର୍ଯ୍ୟନ୍ତ। ୧୯୬୫ ମସିହାର କଥା। ଆମକୁ ଶିକ୍ଷକମାନେ କହିଲେ ଆମ ସ୍କୁଲରେ ଗୋଟେ ସିନେମା ସୁଟିଂ ହେବ। ଆମ ବୟସ ସେତେବେଳକୁ ଆଠ/ନ‌ଅ ବର୍ଷ। ସିନେମା କ’ଣ ଜାଣି ନଥାଉ। କିନ୍ତୁ କ’ଣ ଗୋଟେ ବିଚିତ୍ର କଥା ଘଟିବାକୁ ଯାଉଛି ଭାବି ବହୁତ ଖୁସି ଥାଉ।
କିଛିଦିନ ପରେ ଦଳେ ଲୋକ ଆସି ସ୍କୁଲରେ ପହଞ୍ଚିଲେ। ଆମର ଦୁଇ ତିନି ଜଣ ଶିକ୍ଷକ ସେମାନଙ୍କୁ ଶ୍ରେଣୀଗୃହ, ଖେଳ ପଡିଆ ବୁଲାଇ ଦେଖାଇଲେ। ତା’ପରେ ସେମାନେ ଆମ କ୍ଲାସକୁ ଆସି କହିଲେ କୋଉମାନେ ସିନେମା କରିବ ହାତ ଉଠାଅ। ସମସ୍ତେ ହାତ ଉପରକୁ ଟେକିଲେ।
ତାପରେ ସେମାନେ କହିଲେ କେଉଁମାନେ ଧୋତି ପଞ୍ଜାବୀ ପିନ୍ଧି ଦୌଡି ପାରିବ କୁହ। ଆମେ ସବୁ ପରସ୍ପର ମୁହଁକୁ ଚାହିଁଲୁ। ତାପରେ ଅଳ୍ପ କେତେଜଣ ହାତ ଟେକିଲେ। ଆମେ ସମସ୍ବରରେ ଆମ ଶିକ୍ଷକଙ୍କୁ କହିଲୁ “ସାର୍ ଆମେ ସିନେମା ସୁଟିଂ ଦେଖିବୁ”। “ହଁ, ଦୁରରୁ ଚୁପଚାପ୍ ଠିଆହୋଇ ଦଖିବ, ବିଲକୁଲ ପାଟିତୁଣ୍ଡ କରିବନି। ହେଡସାରଙ୍କୁ କହି କ’ଣ ଗୋଟେ ବ୍ୟବସ୍ଥା କରିବା।”


ସିନେମା ସୁଟିଂ ଆରମ୍ଭ ହେଲା। ବଡ଼ ବଡ କ୍ୟାମେରା, ବଡ ବଡ ଟିଣ ଚଦର, ଛୋଟ ଛୋଟ ରେଳ ଧାରଣା ଆହୁରି ଅନେକ କେବେ ଦେଖି ନ ଥିବା ଚିଜ ଦେଖି ଆମେ ସବୁ ଆଶ୍ଚର୍ଯ୍ୟ ଚକିତ ହୋଇଗଲୁ।
ଶ୍ରେଣୀଗୃହ ଭିତରର ଦୃଶ୍ୟ, ସ୍କୁଲ ଛୁଟି ବେଳର ଦୃଶ୍ୟ ସବୁ ସୁଟିଂ ହେଲା। ହେଲେ ଚିତ୍ରଳୟବାଲା ଯେଉଁମାନଙ୍କୁ ଧୋତି ପଞ୍ଜାବୀ ପିନ୍ଧାଇ ଥିଲେ ସେଇମାନେ ହିଁ କ୍ଲାସରେ ବସିଲେ, ସ୍କୁଲ ଘଣ୍ଟି ବାଜିଲେ ଘରକୁ ଯିବା ଲାଗି ଦୌଡିଲେ।
ମୋର ବନ୍ଧୁ ପ୍ରଦୀପଙ୍କୁ (ଗରାବଡୁ) କିଛି ଛୋଟ ଛୋଟ ଭୁମିକାରେ ଅଭିନୟର ସୁଯୋଗ ମିଳିଥିବା ମୋର ମନେ ଅଛି।
ପିୟୁସ ବୋଷଙ୍କ ନିର୍ଦ୍ଦେଶିତ “ସୁବାଷ” ଚଳଚ୍ଚିତ୍ର ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଉଭୟ ବଙ୍ଗଳା ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ହୋଇଥିଲା। ଏବଂ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲା।
ସୁଭାଷ ବୋଷଙ୍କ ପିଲାଦିନ ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଥିଲା ଏହି ଚଳଚ୍ଚିତ୍ରରେ। ଆଜି ମଧ୍ୟ ସମୀକ୍ଷକ ମାନେ ଏକଥା ସ୍ବୀକାର କରନ୍ତି।


ହଁ, କଥାଟି ହେଲା ଏହି ଚଳଚ୍ଚିତ୍ରର ସୁଟିଂ ‌ସରିବା ପରେ ‌ସୁଭାଷ ବୋଷ ଆମ ପାଇଁ ହିରୋ ପାଲଟିଗଲେ। ସ୍କୁଲ ଗେଟ ଖୋଲି ପଶିବା ମାତ୍ରେ ଡାହାଣ ପଟେ ପଡେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି। ଏଣିକ ସେ ମୁର୍ତ୍ତି ଉପରେ ଆଖି ପଡିବାକ୍ଷଣି ଆପେ ଆପେ ହାତ ଉଠିଯାଏ ନହେଲେ ମୁଣ୍ଡ ନ‌ଇଁ ଯାଏ।
ସୁଭାଷଙ୍କ କଥା ଆମକୁ ଶିକ୍ଷକମାନେ ମଝିରେ ମଝିରେ କୁହନ୍ତି। ସେମାନଙ୍କ ସ୍ବରରେ ଅଭିମାନ ଓ ଗର୍ବ ଭରି ରହିଥାଏ। ଆମେସବୁ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସ୍କୁଲ ପାଠାଗାରରୁ ବହି ଆଣି ପଢୁ। ସଭାସମିତିରେ ଆମନ୍ତ୍ରିତ ଅତିଥି ମାନେ ବି ତାଙ୍କ ଗାରିମା ବଖାଣନ୍ତି ଆଉ ଆମମାନଙ୍କୁ ବହୁତ ଖୁସି ଲାଗେ।
ଆମ ଘରଠାରୁ ଅଳ୍ପ ଦୂରରେ ଥିଲା ନେତାଜୀ ସେବା‌ ସଦନ।


ମୋ ‌ମାଙ୍କ ସହିତ ରିକ୍ସାରେ ବସି ସେଠିକି ଦୁଇ ତିନି ଥର ଯିବା କଥା ମନେ ଅଛି। ମା କୁହନ୍ତି ଜାଣିଚୁ ଏଇ ଘରେ ସୁଭାଷ ବୋଷ ଜନ୍ମ ହୋଇଥିଲେ। ମନଟା ଖୁସି ‌ହୋଇଯାଏ। ହେଲେ ସେଠି ବୁଲିବାକୁ ଇଛା ଥିଲେ ବି ବୁଲି ହୁଏ ନାହିଁ। ହାସପାତାଳର କଟକଣା ଆଉ ମାଙ୍କର ବାରଣ ଯୋଗୁଁ।
ଜାନକୀନାଥ ଭଵନ ଓଡ଼ିଆ ବଜାର କଟକ ଏହି ଠିକଣା ଆଜି ସମସ୍ତଙ୍କ ମୁହଁରେ। ନେତାଜୀଙ୍କ ଜନ୍ମସ୍ଥାନ ପାଲଟିଛି ଏକ ତୀର୍ଥସ୍ଥଳୀ। ସେଠାରେ ଗଢି ଉଠିଛି ଏକ ଭବ୍ୟ ସଂଗ୍ରହାଳୟ। ପ୍ରଦର୍ଶିତ ହେଉଛି ନେତାଜୀଙ୍କ ଦ୍ବାରା ବ୍ୟବହୃତ ‍ବିଭିନ୍ନ ସାମଗ୍ରୀ, ତାଙ୍କ ଘଟଣା ବହୁଳ ଜୀବନର ଅସଂଖ୍ୟ ଫଟୋଚିତ୍ର ଓ‌ ମୁଲ୍ୟବାନ ଦସ୍ତାବିଜ।


ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରତିଷ୍ଠିତ ହେଲା ୨୦୦୪ ମସିହାରେ। ଏହା ନିଶ୍ଚିତ ଭାବେ ଏକ ଜାତୀୟ ସ୍ମାରକୀ। କନ୍ତୁ ଦୁଃଖର କଥା ଯେ ଏହି ସଂଗ୍ରହାଳୟର ଯେଭଳି ପ୍ରଚାର ପ୍ରସାର ‌ହେବାକଥା ତାହା ହେଉନାହିଁ। ପାରିପାର୍ଶ୍ବିକ ପରିସ୍ଥିତିର ଉନ୍ନତି ନ ‌ହେବା ଫଳରେ କିଛିଦିନ ଚାଲିଥିବା ଲାଇଟ ଆଣ୍ଡ ସାଉଣ୍ଡ ସୋ ଅଚଳ ହୋଇଯାଇଛି।
ନେତାଜୀ ତାଙ୍କ ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ କଟକସ୍ଥିତ ପ୍ରୋଟେଷଣ୍ଟାଟ୍ ମିଶନାରୀ ସ୍କୁଲରୁ, ୧୯୦୨ ମସିହାରେ। ସେହି ସ୍କୁଲର ନାମ ପରବର୍ତ୍ତୀ ସମୟରେ ଷ୍ଟୁଆର୍ଟ ‌ସ୍କୁଲ ହୋଇଥିଲା।