ପଦ୍ମ ଶ୍ରୀ’ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

ଆମ ରାଜ୍ୟର ସୁପ୍ରସିଦ୍ଧ ଐତିହାସିକ-ଗବେଷକ-ସାହିତ୍ୟିକଙ୍କ ମଧ୍ୟରେ ‘ପଦ୍ମ ଶ୍ରୀ’ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଅନ୍ୟତମ। ୧ ଡିସେମ୍ବର‌୍‌ ୧୯୦୯ରେ ମୟୂରଭଞ୍ଜ ଜିଲ୍ଲାର ଖିଚି˚ରେ ସେ ଜନ୍ମ ହୋଇଥିଲେ। ପିତା ସାଗର ପାଣିଗ୍ରାହୀ ସ୍ଥାନୀୟ କିଚକେଶ୍ବରୀ ମନ୍ଦିରରେ ପୂଜକ ଥିଲେ। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା। ମାତ୍ର ଦଶ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ। ରୁଗ୍‌ଣ ସ୍ବାସ୍ଥ୍ୟ ସଙ୍ଗକୁ ଆର୍ଥିକ ଦୁରବସ୍ଥା। ତେବେ, ହାର ମାନି ନ ଥିଲେ କୃଷ୍ଣଚନ୍ଦ୍ର। ଶିକ୍ଷକଙ୍କ ପାଇଁ ରୋଷେଇ କରିବାଠାରୁ ଆରମ୍ଭ କରି ଘାସ କାଟିବା ପର୍ଯ୍ୟନ୍ତ ନାନା କାମ ତାଙ୍କୁ କରିବାକୁ ପଡ଼ୁଥିଲା। ତେବେ, ଦୁଃଖ ବା ଅନୁଶୋଚନା ନ ଥିଲା। ଉଚ୍ଚ ଶିକ୍ଷା ପାଇଁ ସବୁ ହସିହସି ସହୁଥିଲେ ସେ। ବୃତ୍ତି ଟଙ୍କାରେ ସେ ଚଳୁଥିଲେ। ଆଉ ନିଜର ଅଧ୍ୟବସାୟ ବଳରେ କ୍ରମେ ଉପରକୁ ଉଠିଥିଲେ।

ଖିଚି˚ ଓ କରଞ୍ଜିଆରେ ପ୍ରାଥମିକ ଶିକ୍ଷା ପରେ ସେ ବାରିପଦାରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହୋଇଥିଲେ। ତାହା ପରେ ରାଭେନ୍‌ସା କଲେଜ୍‌। ଏଠାରୁ ଇତିହାସରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଅବସ୍ଥାରେ ପରିବର୍ତ୍ତନ ହୋଇଥିଲା। ୧୯୩୭ରେ କଲକାତା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର। ‘ଭାରତୀୟ ପ୍ରତ୍ନତତ୍ତ୍ବ ସ˚ସ୍ଥାନ’ରେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ଆମ ଦେଶରେ କୁମ୍ଭାରକଳାର ବିବର୍ତ୍ତନ ଉପରେ ଗବେଷଣା ତାଙ୍କର ପ୍ରଥମ ଉଲ୍ଲେଖନୀୟ କାର୍ଯ୍ୟ ଥିଲା। କୁମ୍ଭାରକଳାରେ ଗଭୀର ଅଧ୍ୟୟନ, ତାଙ୍କୁ ପ୍ରତ୍ନତତ୍ତ୍ବ ଗବେଷକଙ୍କ ମଧ୍ୟରେ ବିଶେଷ ପରିଚୟ ଦେଇଥିଲା। ୧୯୪୪ରେ ସେ ଓଡ଼ିଶା ଫେରି ଅଧ୍ୟାପନା ଆରମ୍ଭ କରିଥିଲେ। ୧୯୪୭-୫୧ ଓଡ଼ିଶା ସ˚ଗ୍ରହାଳୟରେ କାର୍ଯ୍ୟ କରିଥିଲେ। ୧୯୫୪ରେ ‘ଭୁବନେଶ୍ବରର ପ୍ରତ୍ନତତ୍ତ୍ବ ଅବଶେଷ’ ସ˚ଦର୍ଭ ରଚନା ସହ ସେ ପିଏଚ୍‌ଡି ଲାଭକରିଥିଲେ। ଡ. ପାଣିଗ୍ରାହୀଙ୍କ ସମଗ୍ର କର୍ମମୟ ଜୀବନ ପ୍ରତ୍ନତତ୍ତ୍ବ ସମ୍ବନ୍ଧୀୟ ଗବେଷଣା ଓ ଅଧ୍ୟାପନାରେ କଟିଥିଲା। ଇତିହାସ ଓ ପ୍ରତ୍ନତତ୍ତ୍ବ ଉପରେ ଉଲ୍ଲେଖନୀୟ ଗବେଷଣା ପାଇଁ ୧୯୭୬ରେ ତାଙ୍କୁ ‘ପଦ୍ମ ଶ୍ରୀ’ ପ୍ରଦାନ କରାଯାଇଥିଲା।

ସେ ମଧ୍ୟ ଥିଲେ ସୁସାହିତ୍ୟିକ। ମୁଖ୍ୟତଃ ବିଶ୍ଳେଷଣାତ୍ମକ ନିବନ୍ଧ ରଚନା କରିଯାଇଛନ୍ତି। ରେଭେନ୍‌ସାରେ ପଢ଼ିବା ବେଳୁ ନିବନ୍ଧ ଲେଖା ଆରମ୍ଭ ହୋଇଥିଲା। ‘ଋଗ୍‌ବେଦରେ ନାରୀର ଚିତ୍ର’ ତାଙ୍କର ପ୍ରଥମ ପ୍ରକାଶିତ ନିବନ୍ଧ। ଏହା ପଣ୍ତିତ ନୀଳକଣ୍ଠ ଦାସଙ୍କ ଦ୍ବାରା ସ˚ପାଦିତ ‘ନବ ଭାରତ’ରେ ପ୍ରକାଶ ପାଇଥିଲା। ଇତିହାସ, ସ˚ସ୍କୃତି ଓ ପ୍ରତ୍ନତତ୍ତ୍ବ ବିଷୟରେ ସେ ଶହେରୁ ଅଧିକ ନିବନ୍ଧ ଲେଖିଥିବା ଜଣାଯାଏ। ସେ ଥିଲେ ସତ୍ୟାନୁରାଗୀ। ‘ଜଗନ୍ନାଥ ସ˚ସ୍କୃତି’ ତାଙ୍କର ଏକ ପ୍ରସିଦ୍ଧ ନିବନ୍ଧ। ଶ୍ରୀଜଗନ୍ନାଥଙ୍କ ନାମରେ ଚାଲିଥିବା ଅବୈଧ-ଅନୈତିକ କାର୍ଯ୍ୟକଳାପର ସ୍ପଷ୍ଟ ଚିତ୍ର ଏଥିରୁ ମିଳେ। ଅତ୍ୟନ୍ତ ସାହସିକତାର ସହ ଜଗନ୍ନାଥ ସ˚ସ୍କୃତି ନାମରେ ଚାଲିଥିବା ଶଠ ବ୍ୟବସାୟ, ଅପପ୍ରଚାର, ମିଥ୍ୟାର ବିରୋଧ କରି ଏଥିରେ ସେ ଲେଖିଥିଲେ- ଏଥି ପାଇଁ ଓଡ଼ିଆଙ୍କର ନୈତିକ ଓ ଧାର୍ମିକ ଅବକ୍ଷୟ ଘଟିଥିବା ମୋ’ର ବିଶ୍ବାସ। ଜଗନ୍ନାଥ ସ˚ସ୍କୃତି ଯେ ଆମକୁ ଯେ ମହାନ୍‌ କରିଛି, ଏଥିରେ ସନ୍ଦେହ ନାହିଁ। କିନ୍ତୁ, ଏହା ମଧ୍ୟ ଆମକୁ ପତନମୁଖୀ କରିଥିବା ଏକ ଅପ୍ରିୟ-ଐତିହାସିକ ସତ୍ୟ।

ଓଡ଼ିଆମାନେ କେବଳ ଅତୀତକୁ ନେଇ ଅଧିକ ଗର୍ବ କରୁଥିବା ମାନସିକତା, ତାଙ୍କର ପସନ୍ଦ ନ ଥିଲା। ଧର୍ମ ଓ ସ˚ସ୍କୃତି ଯେ କେବଳ ଅତୀତର ବିଷୟ, ଏଥିରେ ତାଙ୍କର ବିଶ୍ବାସ ନ ଥିଲା। ଏହାର ଦୃଢ଼ ସମାଲୋଚନା କରିବାକୁ ଯାଇ ଏବ˚ ପରିହାସ କରି ସେ ଲେଖିଥିଲେ- ‘‘ଅଧିକା˚ଶ ଓଡ଼ିଆଙ୍କ ମାନସିକ ଅବସ୍ଥା ଏମିତି ଯେ, ଯଦି ଶୁଖିଲା ମଳକୁ ଲଫାପାରେ ଭର୍ତ୍ତିକରି, ଉପରେ ଲେଖିଦିଆଯିବ, ଏହା ଅତୀତର ସ୍ବାଦିଷ୍ଠ ପିଠା ଖଣ୍ତେ; ଅନେକ ଏହାର ଦୁର୍ଗନ୍ଧ ଆଘ୍ରାଣ କରିବା ସହ ଚାଖିବାକୁ ମଧ୍ୟ ପଛେଇବେନାହିଁ ଏବ˚ କହିବେ- ଆମର ପୂର୍ବ-ପୁରୁଷମାନେ କି ସୁନ୍ଦର ପିଠା କରିଯାଇଛନ୍ତି।’’ ଅତୀତମନସ୍କତାକୁ ପରିହାସ କରିବାକୁ ଯାଉ ଆଉ ଠାଏ ଲେଖିଥିଲେ- ‘‘ଓଡ଼ିଶାକୁ ପୌରାଣିକ ଓ ଐତିହାସିକ ମହାପୁରୁଷଙ୍କ ଲୀଳା ସ୍ଥଳୀ କହାଯାଏ। ଯାଜପୁରରେ ମନ୍ଦାକିନୀ ପ୍ରବାହିତ ହେଉଥିବା ଏବ˚ ଛତିଆରେ ଇନ୍ଦ୍ର-ଇନ୍ଦ୍ରାଣୀ ପଥର ପାଲଟିଥିବା ଲେଖାଯାଇଛି। କଟକରେ ପୁଣି କାଳେ ଥିଲା ବାରାଣସୀ; ବିଡ଼ାନାସୀର ଏକ ଅ˚ଶ। ଏଠାକାର ଗଡ଼ଗଡ଼ିଆ ଘାଟରେ ଗଜପତି ପ୍ରତାପ ରୁଦ୍ର ଦେବ ଗଧ ପରି ଗଡ଼ିଗଡ଼ି, ଶ୍ରୀଚୈତନ୍ୟଙ୍କ ପାଦ ତଳେ ଲୋଟିଯାଇଥିଲେ। ଅର୍ଥାତ୍‌, ଓଡ଼ିଶା ଥିଲା ସ୍ବର୍ଗ। ତେବେ, ହର-ପାର୍ବତୀ ଏହି ସ୍ଥାନ ଛାଡ଼ିବା ପରେ ଏହା ପାଲଟିଛି ମଶାଙ୍କ ଅଭୟାରଣ୍ୟ।’’

ଓଡ଼ିଶାର ବୈଷ୍ଣବୀ ସାହିତ୍ୟ ଆମର ସାମାଜିକ ଜୀବନକୁ ନଷ୍ଟ କରିଥିବା ସେ ଲେଖିଥିଲେ। ପଣ୍ତିତ ନୀଳକଣ୍ଠଙ୍କ ପରି ବୈଷ୍ଣବୀ ସାହିତ୍ୟର ଅଶ୍ଳୀଳତା, ଅବୈଧ ପ୍ରଣୟର ବର୍ଣ୍ଣନା ଆଦିର ସମାଲୋଚନା କରୁଥିଲେ। ଅନ୍ୟ କୌଣସି ଭାଷର ବୈଷ୍ଣବୀ ସାହିତ୍ୟରେ ଅଶଡ଼ତା ନ ଥିବା ଦର୍ଶାଇଥିଲେ। ଏକଦା ଲେଖିଥିଲେ- ‘‘ପେଟରେ ପଖାଳ, ମଗଜରେ ଶଠ ଧର୍ମ ଏବ˚ ତୁଣ୍ତରେ ଅଶଡ଼ ପ୍ରଣୟ ସ˚ଗୀତ ଦ୍ବାରା କୌଣସି ଜାତି ମହାନ୍‌ ହୋଇପାରିବନାହିଁ।’’ ଆଧୁନିକ ଓଡ଼ିଆ ମହିଳାମାନେ ସ˚ଗୀତରେ ଅଶଡ଼ତାର ପ୍ରତିବାଦ ନ କରିବା, ଭଣ୍ତ ବାବାମାନଙ୍କ ପ୍ରବଚନ ଶୁଣିବା ଏବ˚ ନେତାଙ୍କ ଫୁଲମାଳ ଦେବା ଆଦି ତାଙ୍କର ପସନ୍ଦ ନ ଥିଲା। ଏହା ଓଡ଼ିଆ ସ˚ସ୍କୃତି ନୁହେଁ ବୋଲି ସେ କହୁଥିଲେ।

ଆତ୍ମଚରିତ ‘ମୋ ସମୟର ଓଡ଼ିଶା’ ପୁସ୍ତକ ପାଇଁ ୧୯୭୫ରେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର। ‘ଇତିହାସ ଓ କି˚ବଦନ୍ତି’, ‘ପ୍ରବନ୍ଧ ମାନସ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଆଦି ସେ ରଚନା କରିଥିଲେ।


ସ୍ବୌଜନ୍ୟ: ଫେସବୁକ ପୃଷ୍ଠାରେ ସିନ୍ଧୁଜ୍ୟୋତି ତ୍ରିପାଠୀଙ୍କ ଉପସ୍ଥାପନା